Unknown

 

 

 

 

 

 

 

 

 

 

ଭଲମନ୍ଦ ଚଉତିଶା

ନିଧି ରଥ

 

କିଛି କିଛି ଦାନ, କଦଳୀପତ୍ରରେ ଭୋଜନ,

କୃଷ୍ଣ ପାଦପଦ୍ମରେ ନିତି ଧ୍ୟାନ,ସଖୀ ଭଲ ଏ,

କଳହରେ ସଧ, କଅଁଳା ଗାଈ ଦୁଧ,

କୃଷ୍ଣ ବୈଷ୍ଣବରେ ଅପରାଧ,ସଖୀ ମନ୍ଦ ।୧।

 

ଖାଲି ଭୂମି ଚାଷ, ଖଣ୍ଡକ୍ଷୀରି ଗ୍ରାସ,

ଖଟିଥିବ ଗୁଣଚିହ୍ନା ନରପତି ପାଶ,ସଖୀ ଭଲ ଏ,

ଖଳ ସଙ୍ଗେ ମେଳ, ଖଣ୍ଡାଇତ କାଳ,

ଖଣ୍ଡିଆ ଖଟୁଲି ହାଣ୍ଡିଶାଳ ଗୁହାଳ,ସଖୀ ମନ୍ଦ ଏ ।୨।

 

ଗୁପତ ପୀରତି, ଗଙ୍ଗାରେ ସ୍ଥିତି

ଗୁରୁଜନମାନଙ୍କରେ ହେଉଥିବ ବିନତି,ସଖୀ ଭଲ ଏ,

ଗରୁଆ ଗୁମାନ, ଗୁପତେ ମିଷ୍ଟ ଅନ୍ନ,

ଗର୍ଭିଣୀ ନାରୀ ସଙ୍ଗେ କରିବା ରମଣ,ସଖୀ ମନ୍ଦ ଏ ।୩।

 

ଘେନାଘେନି ବଚନ, ଘାଣ୍ଟୁଆ ବ୍ୟଞ୍ଜନ,

ଘରକୁ ଭୂଷଣ ସ୍ତିରୀରତନ,ସଖୀ ଭଲ ଏ,

ଘରଣୀ ବିଚ୍ଛେଦ, ଘୁଂଘୁଡ଼ିମରା ନିଦ,

ଘାସି ଘୁଷୁରିଆ ଘାଟିଆଙ୍କ ତୁଲେ ବିବାଦ,ସଖୀ ମନ୍ଦ ଏ ।୪।

 

ନିର୍ମଳ ମନ, ନିର୍ଭୟ ସ୍ଥାନ,

ନଖବାଛିଆ ସରୁ ଧାନ ବିହନ,ସଖୀ ଭଲ ଏ,

ନାସ୍ତିକ ପାଡ଼ୁସୀ, ନିର୍ଲଜ୍ଜ ପରିହାସୀ,

ନିତ୍ୟାନିରୋଗୀ, ନିତି ପରବାସୀ,ସଖୀ ମନ୍ଦ ଏ ।୫।

 

ଚତୁରକୁ ଚତୁରୀ ଚୁଆ ଚନ୍ଦନ କସ୍ତୁରୀ,

ଚନ୍ଦ୍ରମା ନିଶିକି ଚମ୍ପାଗଉରୀ,ସଖୀ ଭଲ ଏ,

ଚେଁ-ଚେଁଇଆ ସେରୀ, ଚିକିଣିଆ ଭଣ୍ଡାରୀ

ଚାହୁଁ ଜଳକା, ବିଟପୀ ସ୍ତିରୀ,ସଖୀ ମନ୍ଦ ଏ ।୬।

 

ଛତ୍ରତଳ ଛାଇ, ଛୁଆମୁହାଁସୀ ଗାଈ,

ଛଟକ ଥିଲା ମାଈ,ସଖୀ ଭଲ ଏ,

ଛିଣ୍ଡଳୀ ଭାରିଜା ପୁତ୍ର, ଛଳ ଘେନିଲା ମିତ୍ର

ଛନ୍ଦ କପଟ ବିଚାରିଲା ଭ୍ରାତ,ସଖୀ ମନ୍ଦ ଏ ।୭।

 

ଜୁଆଇଁରେ ଆଦର, ଜୀର୍ଣ୍ଣ ପରେ ଆହାର,

ଜୀବଜନ୍ତୁଙ୍କ ଠାରେ ହୋଇବା ଦୟାପର,ସଖୀ ଭଲ ଏ,

ଯାଚି କରି ଦେବା, ଜୁଆ ଖେଳି ହାରିବା,

ଜୀବନ ଡରେ ଯୁଝଭୁଇଁରେ ଅପସରିଯିବା,ସଖୀ ମନ୍ଦ ଏ ।୮।

 

 

ଝିଅଙ୍କ ଠାରେ ସୋଗ, ଝଡ଼ି ପାଗରେ ପିଠା ଭୋଗ,

ଝୁଡ଼ଙ୍ଗ ମଞ୍ଜିକି କୋଶିଲା ଶାଗ,ସଖୀ ଭଲ ଏ,

ଝପ ଝପ ଚାଲି, ଝୁଣ୍ଟି ପଡ଼ିଲେ ଗାଳି,

ଝାଳ ଗମଗମ ତପତ ବାଲି,ସଖୀ ମନ୍ଦ ଏ ।୯।

 

ନବତନ ଶାଗ, ନୃପତି ଅନୁରାଗ,

ନାତିନାତୁଣୀଙ୍କର ବୁଢ଼ାପରେ ସୁଆଗ,ସଖୀ ଭଲ ଏ,

ନିର୍ମୂଲୀ ବୋଲ ନାଗ ସଙ୍ଗେ ଗେଲ,

ନିଉଛୁଣିଆ ଚାଷକୁ ହଡ଼ାବଳଦ ପେଲ,ସଖୀ ମନ୍ଦ ଏ ।୧୦।

 

ଟିକିଟିକି ବଡ଼ି, ଟଙ୍କା ରଖିବ ପେଡ଼ି,

ଟାଣ ଲୋକଙ୍କଠାରୁ ଯାଉଥିବ ପଡ଼ି,ସଖୀ ଭଲ ଏ,

ଟାଉଟାଉ ଆଖି, ଟମଟମ ଭାଖି-

ଟାକରଖିଆ ସ୍ଥାନରେ ହୋଇଥିବ ସାକ୍ଷୀ,ସଖୀ ମନ୍ଦ ଏ ।୧୧।

 

ଠାଣିମାଣିକ ରୂପ, ଠାଆ ଜାଣି କୋପ,

ଠିକଣା ପାଇଲା କରିବା ଧାପ,ସଖୀ ଭଲ ଏ,

ଠାଆଘେଞ୍ଚେ ଭୋଜନ, ଠିଆରେ ଆଚମନ,

ଠକ କାରବାରରେ ପ୍ରତେଗଲା ମନ,ସଖୀ ମନ୍ଦ ଏ ।୧୨।

 

 

ଡମ-ଗାଆଣୀ ଗୀତ, ଡାହାଣୀ ସଂଗତ,

ଡାକବଜା ହୋଇବ ଯେବେ ବା ପଣ୍ଡିତ,ସଖୀ ଭଲ ଏ,

ଡଗର ଲୋକ ପାଶ, ଡକାଇବାକୁ ବିଶ୍ୱାସ,

ଡାକବଚନ ପାଠକୁ କରିବା ପରିହାସ,ସଖୀ ମନ୍ଦ ଏ ।୧୩।

 

ଢିପାଶାଳ ପହଣି ଢଗ ବ୍ରହ୍ମ କାହାଣୀ,

ଢାଲ ଖଣ୍ଡା ଘେନି ସଂଗ୍ରାମେ ହଣାହଣି,ସଖୀ ଭଲ ଏ,

ଢାଳିଆ ଖୋଷା, ଢିଙ୍କି ଶାଳବସା,

ଢମ ପାଠୁଆକୁ କରିବା ପରଶଂସା,ସଖୀ ମନ୍ଦ ଏ ।୧୪।

 

ଆଣି ପାଣି ସରମ, ଅଣୁମାତ୍ର ସତ କର୍ମ,

ଅଣମୁହିଆ ସଙ୍ଗେ କରିବା ପରିକ୍ରମ,ସଖୀ ଭଲ ଏ,

ଅଣବିଶୁଆସୀ ପୁରୁଷ, ଅଣହଳଦିଆ ଆଇଁଷ,

ଅଣପୁରୁଷାକୁ କରିବା ପ୍ରୀତି-ଆଶ,ସଖୀ ମନ୍ଦ ଏ ।୧୫।

 

ତତକାଳ ଶୁଝିବା, ତାତପର୍ଯ୍ୟ ବୁଝିବା,

ତାକତର୍କ ମଣି ରଣଭୂମିରେ ଯୁଝିବା,ସଖୀ ଭଲ ଏ,

ତୁଣ୍ଡବଜା ଆଡ଼ତି, ତରଦିଆ ପ୍ରୀତି,

ତୁଳାମୁହାଁକାଙ୍କ ପ୍ରାୟେକ ଭକତି,ସଖୀ ମନ୍ଦ ଏ ।୧୬।

 

 

ଥିଲାବେଳକୁ ଆଶ, ଥଣ୍ଡା ମୁଲକରେ ବାସ,

ଥୋକେ ରଖି ଥୋକେ କରିବା ଗ୍ରାସ,ସଖୀ ଭଲ ଏ,

ଥୟେ ନୋହିଲା ଚିତ୍ତ, ଥାତି ରଖିଲା ବିତ୍ତ,

ଥିରିପାଣିଆ ପୁରୋହିତ,ସଖୀ ମନ୍ଦ ଏ ।୧୭।

 

ଦଲ୍ୟତ ରାଜନ, ଦରିଦ୍ରରେ ଦାନ,

ଦୁଷ୍ଟ ଲୋକର କାଟିବା ନାକ କାନ,ସଖୀ ଭଲ ଏ,

ଦୁର୍ବୁଦ୍ଧିଆ ମନ୍ତ୍ରୀ, ବରିଆ, ବୁଣା, ତନ୍ତୀ,

ଦାରିଆ, ଦାରୁପିଆ, ଦରିଦ୍ରା ମହାନ୍ତି,ସଖୀ ମନ୍ଦ ଏ ।୧୮।

 

ଧରିଆଣିଲା ବର, ଧନ ଅର୍ଜିଲା କୁମର,

ଧର୍ମ ଉପରେ ଦେଇଥିବ ଭାର,ସଖୀ ଭଲ ଏ,

ଧକାଦିଆ ଦାନ, ଧିକାରିଆ ଜୀବନ,

ଧୂଆଁ ଧୂଳି ପାଉଁଶ ମିଶି ବହିବା ପବନ,ସଖୀ ମନ୍ଦ ଏ ।୧୯।

 

ନିଜ ବିଦ୍ୟା ଘୋଷି, ନିର୍ମାଖୀ ପୋଷି,

ନୈଷ୍ଠିକ ବ୍ରାହ୍ମଣ ନିର୍ଜଲା ଏକାଦଶୀ,ସଖୀ ଭଲ ଏ,

ନଷ୍ଟ ଗୋରେସା, ନିଷ୍ଠୁର ଭାଷା,

ନିଜରେ ଥାଉ ଥାଉ ପରକୁ ପ୍ରତି-ଆଶା,ସଖୀ ମନ୍ଦ ଏ ।୨୦।

 

 

ପ୍ରତାପୀ ପାଳକ ରାଜା, ପାତ୍ର ହେବା ହେଜା,

ପବିତ୍ର ବ୍ରାହ୍ମଣକୁ କରିବା ପାଦପୂଜା,ସଖୀ ଭଲ ଏ,

ପୁରୁଣା ବାଇଗଣ, ପାପକଥା ଶ୍ରବଣ,

ପାହାନ୍ତିଆ ନିଶିରେ ରମଣସଖୀ ମନ୍ଦ ଏ ।୨୧।

 

ଫୁଲ ଲଗାଇବା ସୁବାସ,ଫଳ ଭେଟାଇବା ଘଟାଇବା ଜଉତିଷ,

ଫୁଟି ବିକଶିବା ନିର୍ମଳ ଯଶ,ସଖୀ ଭଲ ଏ,

ଫାଲଟା ବସନ, ଫାଟିଗଲା ସୈନ୍ୟ,

ଫାଟୁଆ ପାଇକକୁ ଯୁଝଭୂମି ଅସମାନ,ସଖୀ ମନ୍ଦ ଏ ।୨୨।

 

ବୈଦ୍ୟ ଯଶସ୍ୱୀ, ବ୍ରାହ୍ମଣ ଉଦାସୀ,

ବୋଧା ମହନ୍ତ ବ୍ରହ୍ମଚାରୀ ସନ୍ନ୍ୟାସୀ,ସଖୀ ଭଲ ଏ,

ବନ୍ଧୁ ହରପାଣିଆ(ହଇରାଣ),

ବୈଷ୍ଣବ ଗୋସାଣିଆସଖୀ ମନ୍ଦ ଏ ।୨୩।

 

ଭୋଜନ ଛଡ଼ରସ, ଭୟ ତାଇ ଯା-ଆସ,

ଭାରତ-ଭାଗବତରେ ସର୍ବଦା ଅଭିଳାଷସଖୀ ଭଲ ଏ,

ଭାଟକୁ ଅବୋଧ, ଭାରିଯା ପରେ କ୍ରୋଧ,

ଭଉଣୀ ଭିଣୋଇ ଭଣଜାଠାରେ ବିରୋଧ,ସଖୀ ମନ୍ଦ ଏ ।୨୪।

 

 

ମହତ ଲୋକକୁ ଶରଣ, ମୁହାଁସିବା କରଣ,

ମୁଗ ଶାଗଭାଜି ମାଛ ତିଉଣ,ସଖୀ ଭଲ ଏ,

ମଦପିଆ ବ୍ରାହ୍ମଣ, ମାତାପିତାଙ୍କୁ ଦୂଷଣ,

ମୂର୍ଖଲୋକଙ୍କ ଆଗେ ଶାସ୍ତ୍ର ବଖାଣ,ସଖୀ ମନ୍ଦ ଏ ।୨୫।

 

ଯଥାର୍ଥ କହିବା, ଯାତନା ସହିବା,

ଯାବତ ଜିଇବ କାହାକ ଯାଚବ ନୋହିବା,ସଖୀ ଭଲ ଏ,

ଯମକଷ୍ଟ ଅନୁଭବ, ଯୋଗୀଙ୍କୁ ପରାଭବ,

ଯୁବାସ୍ତିରୀ ହୋଇ ଯେବେ ନ ଜାଣଇ ଭାବ,ସଖୀ ମନ୍ଦ ଏ ।୨୬।

 

ରସିକଠାରେ ରସ, ରିପୁଠାରେ ରୋଷ,

ରାମନାମ ନିତ୍ୟେ ହୃଦଗତେ ଘୋଷ,ସଖୀ ଭଲ ଏ,

ରଜବତୀ ସଙ୍ଗ, ରାଜା-ଆଜ୍ଞା ଭଙ୍ଗ,

ରାତ୍ର ଦିବସ ଅନୁକ୍ଷଣେ ମାୟା ମୋହ ପ୍ରସଙ୍ଗ, ସଖୀ ମନ୍ଦ ଏ ।୨୭।

 

ଲକ୍ଷ୍ମୀକାନ୍ତ ଗୃହ, ଲକ୍ଷ୍ମଣବନ୍ତ ଦେହ,

ଲେଉଟି ଲେଉଟି ପଚାରିବାର ସ୍ନେହ,ସଖୀ ଭଲ ଏ,

ଲାବାଡ଼ିଆ ବଚନ, ଲମ୍ବଚେରା ବିହନ,

ଲୋଡ଼ା ପଦାଘରେ ହୋଇବା ହତଜ୍ଞାନ,ସଖୀ ମନ୍ଦ ଏ ।୨୮।

 

 

ବାହାପିଟା କମାଇ, ବାରୁଚଢ଼ା ସିପାହୀ,

ବଶ୍ୟ ଥିଲା ବନ୍ଧୁ ଭାଇ,ସଖୀ ଭଲ ଏ,

ବିଦେଶରେ ରମଣ, ବିଧବା ସ୍ତିରୀ ରମଣ,

ବିଦ୍ୟାନଗର ଛାଡ଼ି ଅନ୍ୟ ଦେଶେ ଭ୍ରମଣ,ସଖୀ ମନ୍ଦ ଏ ।୨୯।

 

ଶାସ୍ତ୍ର ପଢ଼ିଲା ନର, ଶିକ୍ଷା ଘେନିଲା କୁମର,

ଶୋଭାବନ୍ତ ଲୋକକୁ କୁଳଶଉଚ ଆଚାର,ସଖୀ ଭଲ ଏ,

ଶ୍ରୀବନ୍ତ ହୋଇ କୃପଣ, ଶାସ୍ତ୍ର ପଢ଼ି ଦୂଷଣ,

ଶତ୍ରୁହାତେ ସମର୍ପି ଦେବା ନିଜ ଗ୍ରାମ,ସଖୀ ମନ୍ଦ ଏ ।୩୦।

 

ସଂଶୟ ଛେଦୀ ଗୁରୁ, ସୂତା କାଟିବ ସରୁ,

ସିଦ୍ଧି ଜପାଇବ ପାରୁ ନ ପାରୁ,ସଖୀ ଭଲ ଏ,

ସେବା କରିବା ସୁଖ ନପାଇବା,

ସନ୍ଧ୍ୟାକାଳରେ ପଢ଼ିବା, ରମିବା, ଶୋଇବା,ସଖୀ ମନ୍ଦ ଏ ।୩୧।

 

ଶଶୁରଘରେ ସ୍ଥିତି, ସବୁରି ସଙ୍ଗେ ଅପ୍ରୀତି,

ସଂସାରଯାକର ଶୁଣିବ ଅପକୀର୍ତ୍ତି,ସଖୀ ମନ୍ଦ ଏ,

ଶଳା ଭିଣୋଇ ସୁଖ, ସମୟ ଜାଣି ଦୁଃଖ,

ସକଳ କଥା ଛାଡ଼ି ଶ୍ରୀଗୁଣ୍ଡିଚା ଦେଖ,ସଖୀ ଭଲ ଏ ।୩୨।

 

 

ହବିଷକୁ ଦହି, ହୀରା-ମାଣିକ ବାହୀ,

ହରିନାମ ଗାଉ ଗାଉ ପିଣ୍ଡରୁ ପ୍ରାଣ ଯାଇ,ସଖୀ ଭଲ ଏ,

ହସି ହସି କହିବା, ହିଂସା ସତତ ବହିବା,

ହତ୍ୟାରେ ମାରେଣୀ ମାଂସରେ ଭାଗୀ ହୋଇବା, ସଖୀ ମନ୍ଦ ଏ ।୩୩।

 

କ୍ଷେତ୍ରରେ ନିବାସ, କ୍ଷତ୍ରିୟଙ୍କ ସାହସ,

କ୍ଷଣ ମାତ୍ର ପ୍ରଭୁଙ୍କର ବୋଲାଇବା ଦାସ,ସଖୀ ଭଲ ଏ,

କ୍ଷୁଦ୍ର ବୁଦ୍ଧି ଚାକର କ୍ଷାରିଆ ଶାକର,

କ୍ଷମା ନଥିଲା ସାମନ୍ତ ମୁଣ୍ଡରେ ଟାକର,ସଖୀ ମନ୍ଦ ଏ ।୩୪।

 

ଭାବାର୍ଥ- (୧-୫) ସଖିକୁ ସମ୍ବୋଧନ କରି କବି କହୁଛନ୍ତି- ସଖି, ସଂସାରରେ ଭଲମନ୍ଦ ରହିଛି । ଭଲକୁ ସମସ୍ତେ ଆଦର କରନ୍ତି ଓ ମନ୍ଦକୁ ଘୃଣା କରନ୍ତି । ସଂସାରରେ ଭଲ ମଧ୍ୟରେ ରହିଛି- କିଛି କିଛି ଦାନ ଦେବା କଦଳୀପତ୍ରରେ ଭୁଞ୍ଜିବା ବା ଭୋଜନ କରିବା ଓ କୃଷ୍ଣଙ୍କ ପାଦପଦ୍ମରେ ନିତି ଧ୍ୟାନ କରିବା । ଅପର ପକ୍ଷରେ ମନ୍ଦ କାର୍ଯ୍ୟ ଗୁଡ଼ିକ ହେଲା- ଭଳହ କରିବାରେ ଅଭ୍ୟସ୍ତ, କଅଁଳା ଗାଈ ଦୁଧ, କୃଷ୍ଣ ଓ ବୈଷ୍ଣବରେ ଅପରାଧ । ରେ ସଖି, ଖାଲଭୂମି ଚାଷ, ଖଣ୍ଡକ୍ଷୀରୀ ଗ୍ରାସ, ଗୁଣ ଚିହ୍ନୁଥିବା ରାଜାଙ୍କ ପାଖରେ ଖଟିବା ଭଲର ଲକ୍ଷଣ । ମନ୍ଦ ଲକ୍ଷଣ ମଧ୍ୟରେ ଅଛି ଖଳ ସଙ୍ଗରେ ମେଳ, ଖଣ୍ଡାଇତ କାଳ, ଖଣ୍ଡିଆ ଖଟୁଲି ଓ ହାଣ୍ଡିଶାଳରେ ଗୁହାଳ କରିବା ବା ହାଣ୍ଡିଶାଳକୁ ଗୁହାଳ ଭଳି କରିବା । ଗଙ୍ଗାରେ ସ୍ଥିତି, ଗୁରୁଜନମାନଙ୍କ ପାଖରେ ବିନତି ଉତ୍ତମ ଲକ୍ଷଣ । ହୋଇଥିବା ବେଳେ ତୁଛାରେ ଗୁମାନ, ଗୁପ୍ତରେ ମିଷ୍ଟାନ୍ନ ଖାଇବା, ଗର୍ଭବତୀ ନାରୀ । ସଙ୍ଗେ ରତିକ୍ରୀଡ଼ା ଭଲ ନୁହେଁ ।

 

ସଖି, ସ୍ନେହଭରା ବଚନ, ଘାଣ୍ଟୁଆ ବ୍ୟଞ୍ଜନ, ଘରର ଶିରୀ ସ୍ତ୍ରୀ ରତ୍ନ ଭଲ । ଅପରପକ୍ଷରେ ଘରଣୀ ବିଚ୍ଛେଦ, ଘଙ୍ଗୁଡ଼ି ମରା ନିଦ, ଘାସି (ଘୋଡ଼ାଙ୍କ ପାଇଁ ଘାସ କାଟୁଥିବା ଚାକର), ଘୁଷୁରି ଜଗୁଥିବା ଲୋକ ବା ପାଳକ ଓ ଘାଟ ଜଗୁଥିବା ଲୋକ ସହିତ ବିବାଦ ଭଲ ନୁହେଁ-। ନିର୍ମଳ ମନ, ନିର୍ଭୟ ସ୍ଥାନ, ନଖବାଛିଆ ସରୁଧାନ ବିହନ-ଏ ସବୁ ଭଲରେ ଗଣା । ନାସ୍ତିକ ପାଡ଼ସୀ (ପଡୋଶୀ), ନିର୍ଲ୍ଲଜ ପରିହାସୀ, ସବୁଦିନେ ରୋଗୀ, ସର୍ବଦା ପରବାସୀ ସବୁବେଳେ ମନ୍ଦ ମଧ୍ୟରେ ରହିବେ ।

 

ଭାବାର୍ଥ- (୬-୧୨) ସଖି, ଚତୁରକୁ ଚତୁରୀ, ଚୁଆ, ଚନ୍ଦନ, କସ୍ତୁରୀ, ଚନ୍ଦ୍ରମା ରାତିକୁ ଚମ୍ପକ ଗୋରୀ- ଏ ମାନେ ଭଲ ହୋଇଥିବା ବେଳେ ଚେଁ-ଚେଇଁଆ ଶାରୀ, ଚିକିଣିଆ ଭଣ୍ଡାରୀ, ଚାହୁଁଜଳକା, ବିଟପୀ ସ୍ତ୍ରୀ ମନ୍ଦ ଶ୍ରେଣୀର । ଛତ୍ରତଳ ଛାଇ, ଛୁଆ ମଇଁଷିଆ ଗାଈ, ଛଟକ ଥିବା ମାଈ- ଏମାନେ ଭଲ । ଅପର ପକ୍ଷରେ ଛିଣ୍ଡାଳୀ (ବ୍ୟଭିଚାରିଣୀ) ଭାର୍ଯ୍ୟା, ପୁତ୍ର, ଛଳ ଧରିବା ମିତ୍ର, ଛନ୍ଦ-କପଟରେ ଲିପ୍ତ ଥିବା ଭାଇ ମନ୍ଦ । ଜୁଆଇଁରେ ଆଦର, ଜୀର୍ଣ୍ଣପରେ ଆହାର, ଜୀବଜନ୍ତୁଙ୍କ ଠାରେ ଆଦର ସର୍ବଦା ଭଲ; କିନ୍ତୁ ଯାଚି କରି ଦେବା, ଜୁଆ ଖେଳି ହାରିବା ଓ ପ୍ରାଣଭୟରେ ଯୁଦ୍ଧ ଭୂମିରୁ ପଳାଇବା ଭଲ ନୁହେଁ ।

 

ସଖି, ଝିଅଙ୍କଠାରେ ସୋଗ (ସୁଆଗ) ଝଡ଼ି ପାଗରେ ପିଠା ଭୋଗ, ଝୁଡ଼ୁଙ୍ଗ ମଞ୍ଜିକୁ କୋଶିଲା (ଖୋସଡ଼ା) ଶାଗ ଭଲ । ଝପ ଝପ ଚାଲି କରି ଯାଉଥିବ, ପଡ଼ିଗଲେ ଗାଳି (ମଲି) ବୋଲି କହୁଥିବ, ଝାଳ ଗମଗମ ଓ ତାତଲା ବାଲି କେବେ ଭଲ ନୁହେଁ । ନୂଆରେ କଅଁଳିଥିବା ଶାଗ, ରଜାଙ୍କ ଅନୁରାଗ, ନାତିନାତୁଣୀଙ୍କ ବୁଢ଼ା (ଅଜା) ପରେ ସରାଗ ଭଲ ଲକ୍ଷଣ; କିନ୍ତୁ ନିର୍ମୂଳ (ଯାହାର ମୂଳ ନାହିଁ)ର ବୋଲ, ସର୍ପ ସଙ୍ଗରେ ଗେଲ, ନିଉଛୁଣିଆ ଚାଷ ଓ ହଡ଼ାବଳଦ – କଥା ଭଲ ନୁହଁ । ଛୋଟ ଛୋଟ ବଡ଼ି, ପେଡ଼ିରେ ଟଙ୍କା ରଖିବା, ଟାଣ (ଧନୀ) ଲୋକଙ୍କଠାରୁ କଉଡ଼ି ନେଉଥିବ- ଏହା ଭଲ କଥାରେ ଗଣା । ଟାଉଟାଉ କଥା, ଟମଟମ ନୟନ ଓ ଟାକର୍‍ଆ ସ୍ଥାନରେ ସାକ୍ଷୀ ହେବା ମନ୍ଦ କଥା, ଠାଣମାଣିକ ରୂପ ବା ସୁନ୍ଦର ରୂପ, ଠାଆ (ସ୍ଥାନ) ଦେଖି କୋପ କରିବା-। ଠିକଣା ପାଇଲେ ଧାପ (ତେଜ) ଦେଖାଇବା- ଏ ସବୁ ଭଲ; କିନ୍ତୁ ଯେଉଁଠି ସେଇଠି ଭୋଜନ କରିବା, ଠିଆ ହୋଇ ଆଚମନ କରିବା, ଠକ କାରବାରରେ ବିଶ୍ୱାସ ରଖିବା ମନ୍ଦ କାମ ।

 

ଭାବାର୍ଥ- (୧୩-୨୦) ସଖି, ଢମ-ଗାଆଣି ଗୀତ, ଡାହାଣୀ ସହିତ ସଙ୍ଗତ ଦଶିଆ ବୁଣା ତନ୍ତୀ ବା ପଣ୍ଡିତ- ଏ ସବୁ ଭଲ । ଡଗର ଲୋକର ପାଖ ହେବା, ଡକାୟତକୁ ବିଶ୍ୱାସ ଓ ଡାକ ବଚନକୁ ପରିହାସ କରିବା ଠିକ୍ ନୁହେଁ - ଏ ସବୁ ମନ୍ଦ । ମାଟିଗଦା (ଢିପା) ଶାଳ, ପାଣି ନାଳ, ତଗବ୍ରହ୍ମ କାହାଣୀ, ଜାଲଖଣ୍ଡା ଧରି ଯୁଦ୍ଧରେ ହଣାହଣି- ସଖି, ଏ ସବୁ ଭଲ । ଅନ୍ୟ ପକ୍ଷରେ ଢାଲିଆ ଖୋଷା (ଢାଲ କରୁଥିବା ଜୁଡ଼ା), ଢିଙ୍କିଶାଳ ବସା, ଗର୍ବୀ ପାଠୁଆକୁ ପ୍ରଶଂସା ଏ ଗୁଡ଼ିକ ମନ୍ଦରେ ଗଣା । ସରବ ସାମାନ୍ୟ ହେଲେ ମଧ୍ୟ ସତ୍‍କର୍ମ କରିବା, ଅଣମୁହିଁଆ ସଙ୍ଗରେ ବୁଲିବା- ଭଲ ଭିତରେ ଗଣା । ଅଣବିଶ୍ୱାସୀ ପୁରୁଷ, ଅଣହଳଦିଆ ଆଇଁଷ, ଅଣପୁରୁଷା ସଙ୍ଗରେ ପ୍ରୀତି- ଏ ସବୁ ମନ୍ଦ ।

 

ସଖି, ତତ୍‌କାଳ ଋଣ ଶୁଝିବା, ଘଟଣା ବା କଥାର ତାତ୍ପର୍ଯ୍ୟ ବୁଝିବା, ତାକତରକ (ସତର୍କତା) ସହିତ ଯୁଦ୍ଧ ଭୂମିରେ ଲଢ଼େଇ କରିବା ଭଲ କଥା । ତୁଣ୍ଡବଜା ଆଡ଼ତି (ଘରକାମ), ତରଦିଆ (ଶୁଣିବା) ପ୍ରେମ, ତୁଳାମୁହାଁକାଙ୍କ ପ୍ରାୟ ଭକ୍ତି- ଏ ସବୁ ପ୍ରହସନ, ଖରାପର ଲକ୍ଷଣ । ଥିଲା ଲୋକପାଖରେ ଆଶ, ଥଣ୍ଡା ଅଞ୍ଚଳରେ ବାସ, କିଛି ରଖି କିଛି ଖାଇବା ଭଲ ମଧ୍ୟରେ ଗଣା । ଅଥୟ ମନ, ଥାତି(ଗଚ୍ଛିତ) କରି ରଖିବା ଧନ, ଥିରିପାଣିଆ (ଧୀର ହାତ) ପୁରୋହିତ-ଏ ସବୁ ମନ୍ଦ କାମ । ମୂର୍ଖ ହୋଇ ନ ଥୁବା (ଦଲ୍ୟଳ) ରଜା, ଦରିଦ୍ରକୁ ଦାନ ଦେବା, ଦୁଷ୍ଟ ଲୋକର ନାକକାନ କାଟିବା ଉତ୍ତମ କାର୍ଯ୍ୟ । ଅନ୍ୟ ପଟରେ ଦୁର୍ବୁଦ୍ଧିଆ ମନ୍ତ୍ରୀ, ବଣିଆ, ସମ୍ମାନ ନ ପାଇ ଘରେ ଘରେ ଖାଇବା, ଦାରିଆ, ମଦୁଆ ଏମାନେ ମନ୍ଦ ଶ୍ରେଣୀର । ସଖି, ଭଲ ମଧ୍ୟରେ ଧରି ଆଣିଲା ବର, ଧନ ଅଜିଲା ପୁତ୍ର, ଧର୍ମ ଉପରେ ବିଶ୍ୱାସ ରଖୁଥିବା ଲୋକ ରହିଛନ୍ତି । ଧକାଦିଆ ଦାନ, ଧିକାରିଆ ଜୀବନ, ଧୂଆଁଧୂଳି ପାଉଁଶ ମିଶି ବହିବା ପବନ- ଏ ସବୁ ମନ୍ଦ । ନିଜର ବିଦ୍ୟାକୁ ଘୋଷିବା, ନିରିମାଖିକୁ ପୋଷିବା, ନୈଷ୍ଠିକ ବ୍ରାହ୍ମଣ ଓ ନିର୍ଜଳା ଏକାଦଶୀ ଭଲ ଭିତରେ ଗଣାଥିବା ବେଳେ ଖରାପ ମଧ୍ୟରେ ରହିଛି ନଷ୍ଟ ଗୋରସା, ନିଷ୍ଠୁର ଭାଷା, ନିଜର ଥାଉ ଥାଉ ପରକୁ ଆଶା କରିବା- ଏହା ଭଲ ନୁହଁ ।

 

ଭାବାର୍ଥ- (୨୧-୨୬) ସଖି, ସଂସାରରେ ପ୍ରତାପୀ ପାଳକ ରାଜା, ହେଜୁଥିବା । ପାତ୍ର, ପବିତ୍ର ବ୍ରାହ୍ମଣର ପାଦପୂଜା କରିବା ଭଲ ସୂଚନା । ପୁରୁଣା ବାଇଗଣ, ପାପକଥା ଶ୍ରବଣ, ପାହାନ୍ତି ପ୍ରହରରେ ନିଦ୍ରା ଓ ରମଣ ମନ୍ଦ କଥା । ଲଗାଇଥିବା ଫୁଲର ସୁବାସ, ଘଟାଇବା ଜ୍ୟୋତିଷ, ଫୁଟି ବିକଶିବା ନିର୍ମଳ ଯଶ ଭଲ ହୋଇଥିବା ବେଳେ ପାଲଟା ବସନ, ଫାଟିଗଲା ସୈନ୍ୟ (ସୈନ୍ୟଙ୍କ ମଧ୍ୟରେ ଫାଟ), ଫାଟୁଆ ପାଇକକୁ ଯୁଦ୍ଧ ଭୂମି ଅସମାନ ରହିବା ମନ୍ଦ ନିଶ୍ଚୟ । ସଖି, ଯଶସ୍ୱୀ ବୈଦ୍ୟ, ଉଦାସୀ ବ୍ରାହ୍ମଣ, ବୋଧା (ଶୁଣିବା) ମହନ୍ତ, ବ୍ରହ୍ମଚାରୀ ସନ୍ନ୍ୟାସୀ- ଏମାନେ ଉତ୍ତମ । ହରପାଣିଆ (ହଇରାଣିଆ) ବନ୍ଧୁ, ବୈଷ୍ଣବ, ଗୋସାଣିଆ (ଡାଆଣିଆ)- ଏମାନେ ସର୍ବଦା ମନ୍ଦ ।

 

ସଖି, ଷଡ଼ରସ ଭୋଜନ, ଯିବା ଆସିବା କରିବା ବେଳେ ଭୟ କରିବା, ମହାଭାରତ ଭାଗବତ ପଢ଼ା ସର୍ବଦା ମନୋନିବେଶ ଭଲ ଲକ୍ଷଣ । ଭାଟକୁ ଭୁଲ ବୁଝିବା, ଭାର୍ଯ୍ୟକୁ କ୍ରୋଧ ଦେଖାଇବା, ଭଉଣୀ, ଭିଣୋଇ ଓ ଭଣଜାଠାରେ ଭଲ ଭାବ ନ ଦେଖାଇବା ମନ୍ଦ କାର୍ଯ୍ୟ ! ମହତ ଲୋକଙ୍କୁ ଶରଣ ପ୍ରଦାନ, ମୁହାଁସିବା (ଅଗ୍ରସର ହେବା) କରଣ, ମୁଗଶାଗଭଜା, ମାଛ ତରକାର ଭଲ ମଧ୍ୟରେ ଗଣା । ଅନ୍ୟ ପକ୍ଷରେ ମଦ୍ୟପ ବ୍ରାହ୍ମଣ, ମାତାପିତାଙ୍କୁ ଯିଏ କଷ୍ଟ ଦିଏ, ମୂର୍ଖ ଲୋକଙ୍କ ଆଗରେ ଶାସ୍ତ୍ରପୁରାଣ ଆଲୋଚନା- ଇଏ ଅବାସ୍ତବ, ମନ୍ଦ । ଯଥାର୍ଥ କଥା କହିବା ବା କରିବା, ଦୁଃଖକୁ ସହିଯିବା, ଯାବତ ଜିଇଁବା, କାହାକୁ ହାତ ନ ପାତିବା ଭଲ ଗୁଣର ଅନ୍ତର୍ଭୁକ୍ତ; କିନ୍ତୁ ଯମକଷ୍ଟ ଅନୁଭବ, ଯୋଗୀଙ୍କୁ ପରାଭବ ଦେବା, ଯୁବାସ୍ତିରୀ ହୋଇ ଯେବେ ଭାବ ନ ଜାଣିବ, ତେବେ ଏ ସବୁ ଭଲ ନୁହେଁ ।

 

ଭାବାର୍ଥ- (୨୭-୩୪) ସଖି, ରସିକ ପାଖରେ ରସ, ଶିତ୍ରୁଠାରେ ରୋଷ, ହୃଦମଧ୍ୟରେ ସର୍ବଦା ରାମନାମ ଘୋଷା- ଏ ସବୁ ଭଲ ମଧ୍ୟରେ ଗଣା । ମନ୍ଦ ମଧ୍ୟରେ ରଜବତୀ ସଙ୍ଗରେ ମାତିବା, ରାଜାଆଜ୍ଞାକୁ ଭଙ୍ଗ କରିବା, ରାତିଦିନ କେବଳ ସାଂସାରିକ ମୋହରେ ଘାଣ୍ଟି ହେବା, ସେ ସମ୍ପର୍କରେ ଆଲୋଚନା କରିବା ରହିଛି । ଦେବତା ରହିଥିବା ଗୃହ, ଲକ୍ଷ୍ମଣବନ୍ତ ଦେହ, ଲେଉଟି ଲେଉଟି ପଚାରିବାର ସ୍ନେହ ବା ବାରମ୍ବାର ଅନୁରାଗ ଦେଖାଇବା ଭଲ ଲକ୍ଷଣ । ଅନ୍ୟପକ୍ଷରେ ଲାବାଡ଼ିଆ (କଟୁ)ବଚନ, ଲମ୍ବଚେରା ବିହନ, ଲୋଡ଼ା ପଦାଘରେ ହତଜ୍ଞାନ ହେଲା ମନ୍ଦର ଲକ୍ଷଣ । ହାଡ଼ଭଙ୍ଗା ଆୟ, ଘୋଡ଼ାଚଢ଼ା ସିପାହ, ଭାଇବନ୍ଧୁ ନିଜର ହେବା- ଏହା ଭଲ; କିନ୍ତୁ ଅପରପକ୍ଷରେ ବିଦେଶରେ ରହି ପର ସ୍ତ୍ରୀ ସଙ୍ଗରେ ମାତିବା, ବିଧବା ସ୍ତ୍ରୀ ସହିତ ରମଣ କରିବା, ବିଦ୍ୟାର ନଗର ଛାଡ଼ି ଅନ୍ୟ ଦେଶ ଭ୍ରମଣ କରିବା ଶାସ୍ତ୍ରରେ ବାରଣ କରାଯାଇଛି । ଏ ମନ୍ଦ କାର୍ଯ୍ୟ । ସଖି, ଶାସ୍ତ୍ର ପଢ଼ବା ଲୋକ, ଶିକ୍ଷିତ ପୁତ୍ର, ଶୋଭାବନ୍ତ ଲୋକକୁ କୁଳ ଶଉଚ ଆଚାର ଜଗତରେ ମଙ୍ଗଳକାରକ; କିନ୍ତୁ ଶ୍ରୀବନ୍ତ ହୋଇ କୃପଣ ହେବା, ଶାସ୍ତ୍ର ପଢ଼ି ଦୁଷ୍ଟ ଦୁର୍ଜନ ହେବା ଓ ନିଜ ଗ୍ରାମକୁ ଶତ୍ରୁ ହାତରେ ସମର୍ପି ଦେବା ଭଲ କାର୍ଯ୍ୟର ପରିପନ୍ଥୀ ।

 

ସଖି, ସଂଶୟକୁ ଦୂର କରୁଥିବା ଗୁରୁ, ସରୁ ସୂତା କାଟିବା, ପାରୁ ନ ପାରୁ ସିଦ୍ଧି ପାଇଁ ଜପ କରିବା ଭଲ କଥା । ସେବା କରିବା ସୁଖ ନ ପାଇବା, ସନ୍ଧ୍ୟା ସମୟରେ ରମଣ ଓ ଶୟନ ମନ୍ଦ କାର୍ଯ୍ୟର ଲକ୍ଷଣ । ଶ୍ୱଶୁର ଘରେ ରହୁଥିବା, ସବୁରି ସଙ୍ଗରେ ଅପ୍ରୀତିଭାବ କରୁଥିବା ଲୋକ ସଂସାରରେ ନିନ୍ଦା ଶୁଣିଥାଏ । ଶଳା-ଭିଣୋଇ ସୁଖ, ସମୟ ଜାଣି ଦୁଃଖ ଓ ଗୁଣ୍ଡିଚା ଯାତ୍ରା ଦେଖା ଭଲ କାର୍ଯ୍ୟରେ ଗଣା । ହବିଷ ସଙ୍ଗରେ ଦହି, ହୀରାମାଣିକ ବହନକାରୀ ଓ ହରିନାମ ଗାଉଗାଉ ତା’ର ପିଣ୍ଡରୁ ପ୍ରାଣ ଯିବା- ଉତ୍ତମଗୁଣର ଲକ୍ଷଣ; କିନ୍ତୁ ହସି ହସି କହିବା, ହିଂସା କଳହରେ ମାତିବା, ହତ୍ୟା ଘଟଣାରେ ଜଡ଼ିତ ହେବା ମନ୍ଦ କାମ । ଶ୍ରୀକ୍ଷେତ୍ରରେ ନିବାସ, କ୍ଷତ୍ରିୟଙ୍କ ସାହସ, କମ୍ ସମୟ ପାଇଁ ହେଲେ ମଧ୍ୟ ପ୍ରଭୁଙ୍କର ଦାସ ହେବା ଭାଗ୍ୟରେ ଥିଲେ ଏ ସବୁ ମହତ୍ କାର୍ଯ୍ୟର ପରିଚୟ; କିନ୍ତୁ ଯେଉମାନେ କ୍ଷୁଦ୍ରବୁଦ୍ଧି ସମ୍ପନ୍ନ ଚାକର, ଖାରିଯୁକ୍ତ ଶାକର ଓ କ୍ଷମାବିହୀନ ସାମନ୍ତ, ମୁଣ୍ଡ ଖପୁରରେ ଆଘାତ (ଟାକରା) ଲାଗିଥିବ- ଏ ସବୁ ମନ୍ଦ ଶ୍ରେଣୀର ।